Unknown

 

 

 

 

 

 

 

 

 

ଭ୍ରାତୃ ନିବେଦନ

ଶ୍ରୀ ଚନ୍ଦ୍ରଚୂଡ଼ାମଣି ରାଜା ହରିଚନ୍ଦନ ଜଗଦ୍ଦେବ

 

ଦେଶ କାର୍ଯ୍ୟେ ଦେଇ ମନ,

କର ଯଶୋଧର୍ମ ସୁଖ ଅର୍ଜନ, ହେ ଭ୍ରାତୃଗଣ

ଔଦାସ୍ୟେ ବର୍ଜି ବହନ ହେ ଭ୍ରାତୃଗଣ ।୧।

ହିତ ଚିନ୍ତାଟି କେବଳ,

ରଖେ ମସ୍ତିଷ୍କକୁ କରି ସବଳ, ହେ ଭ୍ରାତୃଗଣ

ଫଳାଏ କାଳେ ସଫଳ ହେ ଭ୍ରାତୃଗଣ ।୨।

ପୂର୍ବ ଆର୍ଯ୍ୟଙ୍କ କୌଶଳେ,

କେତେ ସୁମହତ କାର୍ଯ୍ୟ ମଙ୍ଗଳେ, ହେ ଭ୍ରାତୃଗଣ

ହୋଇଥିଲା ଏ ଉତ୍କଳେ ହେ ଭ୍ରାତୃଗଣ ।୩।

ଲୁପ୍ତ ଆହା ଆର୍ଯ୍ୟପଣ,

ଲୁପ୍ତ ଏବେ ପୂର୍ବ ଆଚାର୍ଯ୍ୟଗଣ, ହେ ଭ୍ରାତୃଗଣ

ନାହିଁ ସେ ଭାବ ଧରଣ ହେ ଭ୍ରାତୃଗଣ ।୪।

ଆତ୍ମ ସ୍ଵାର୍ଥ ବଶେ ରହି,

ଜାତୀୟ ଜୀବନ ଦେଉଛି ଦହି, ହେ ଭ୍ରାତୃଗଣ

ତୁଚ୍ଛା ଅଭିମାନ ବହି ହେ ଭ୍ରାତୃଗଣ ।୫।

ହୀନଠାରୁ ହୀନତର,

ହେଲେ ନିରୁତ୍ସାହେ କରି ଆଦର, ହେ ଭ୍ରାତୃଗଣ

ନ ଚିହ୍ନି ନିଜ ସୋଦର ହେ ଭ୍ରାତୃଗଣ ।୬।

ଭାବୁଥିଲେ ସଦା ବସି

ଉଇଁବ ପରୁବ ଗୌରବ ଶଶୀ, ହେ ଭ୍ରାତୃଗଣ

କାର୍ଯ୍ୟରେ ଲାଗ ଭରସି ହେ ଭ୍ରାତୃଗଣ ।୭।

ଏକତାଟି ଅଟେ ମୂଳ,

ସେ ଭାବକୁ ହୃଦେ କଲେକ ଠୁଳ, ହେ ଭ୍ରାତୃଗଣ

ଉନ୍ନତି ହେବ ପୃଥୁଳ ହେ ଭ୍ରାତୃଗଣ ।୮।

ବାକ୍ୟାଡ଼ମ୍ବର ଶୋଭିତ,

ବତ୍କୃତାଦି ଆଉ ନୁହେଁ ଗୃହୀତ, ହେ ଭ୍ରାତୃଗଣ

କର ଯା ସମୟୋଚିତ ହେ ଭ୍ରାତୃଗଣ ।୯।

ଦେଶ ଶ୍ରୀବୃଦ୍ଧି ବିଧାନ,

ପାଇଁ ଧନ ଥିଲେ କରି ପ୍ରଦାନ, ହେ ଭ୍ରାତୃଗଣ

ସୁଫଳ କର ଆଦାନ ହେ ଭ୍ରାତୃଗଣ ।୧୦।

କାର୍ଯ୍ୟଟି ଅଟେ ଦେବତା,

ଚରାଚର ବିଶ୍ଵ ମୁଖ୍ୟ କରତା, ହେ ଭ୍ରାତୃଗଣ

ବାଢ଼ାଏ ଜାତି ମମତା ହେ ଭ୍ରାତୃଗଣ ।୧୧।

କର୍ତ୍ତବ୍ୟେ ନୋହି ବିମୁଖ

ସାଧୁଥିଲେ ଦୃଢ଼େ ସହିଣ ଦୁଃଖ, ହେ ଭ୍ରାତୃଗଣ

ପାଇବ ନିଶ୍ଚୟ ସୁଖ ହେ ଭ୍ରାତୃଗଣ ।୧୨।

ବିଜ୍ଞାନ-ଆଲୋକ ବଳେ,

ନ ତଡ଼ିଲେ ଜାଡ଼୍ୟ-ତମେ ଚପଳେ, ହେ ଭ୍ରାତୃଗଣ

ହେବ କି ଉନ୍ନତି ଭଲେ ହେ ଭ୍ରାତୃଗଣ ।୧୩।

କୁରୀତି ରାହୁର ଦାଉ,

ଯୋଗରେ ଉନ୍ନତି ମାର୍ତ୍ତଣ୍ଡ କାହୁଁ, ହେ ଭ୍ରାତୃଗଣ

ଆସି ପ୍ରକାଶିବ ଆଉ ହେ ଭ୍ରାତୃଗଣ ।୧୪।

ପରସ୍ପର ବାଦ ବିଷ,

ଘାରି ଘୂରାଉଛି ସିନା ଅନିଶ, ହେ ଭ୍ରାତୃଗଣ

ଦେଉଛି କରି ବାଳିଶ ହେ ଭ୍ରାତୃଗଣ ।୧୫।

ଉପାର୍ଜି ସୁଶିକ୍ଷା ବଳ,

ସର୍ବେ ଠୁଳ ହୋଇ କଲେ କୌଶଳ, ହେ ଭ୍ରାତୃଗଣ

ଦେଶର ହେବ ମଙ୍ଗଳ ହେ ଭ୍ରାତୃଗଣ ।୧୬।

କାର୍ମଟି ଯୋଗ କେବଳ,

ତାହା ବିନା ନାହିଁ ଅନ୍ୟ ସମ୍ବଳ, ହେ ଭ୍ରାତୃଗଣ,

ଲାଗ ତହିଁରେ ସକଳ ହେ ଭ୍ରାତୃଗଣ ।୧୭।

ସ୍ଵଦେଶ ସେବା ବ୍ୟତୀତ,

ନ ଦେଇଣ ଆନେ ମନ କିଞ୍ଚିତ, ହେ ଭ୍ରାତୃଗଣ

ସୁଯଶ କର ସଞ୍ଚିତ ହେ ଭ୍ରାତୃଗଣ ।୧୮।

ମିଶିଗଲେ ମନ ମନ,

ପାହିଯିବ ଦୁଃଖ-ନିଶି ବହନ, ହେ ଭ୍ରାତୃଗଣ

ପ୍ରାପ୍ତ ହେବ ସୁଖଧନ ହେ ଭ୍ରାତୃଗଣ ।୧୯।

ଜନ୍ମ ହୋଇ ଆର୍ଯ୍ୟ ବଂଶେ,

ହେଲେ ହୀନମାନ ଅଜ୍ଞାନ ବଶେ, ହେ ଭ୍ରାତୃଗଣ

ମତ୍ତ ହୋଇ ସ୍ଵାର୍ଥ ରସେ, ହେ ଭ୍ରାତୃଗଣ ।୨୦।

ଆଚର ଏକତା ବ୍ରତ,

ସଙ୍କଳ୍ପକୁ କରି ସଦା ଜାଗ୍ରତ, ହେ ଭ୍ରାତୃଗଣ

ହୋଇ ଦେଶହିତେ ରତ ହେ ଭ୍ରାତୃଗଣ ।୨୧।

ଆଳସ୍ୟ-କର୍ଦ୍ଦମେ ବୁଡ଼ି,

ପୂର୍ବ ପୁରୁଷଙ୍କ ପଦାଙ୍କ ହୁଡ଼ି, ହେ ଭ୍ରାତୃଗଣ

ଦେଇଛ ସୁଖ ଘଉଡ଼ି ହେ ଭ୍ରାତୃଗଣ ।୨୨।

ଏକତା ସୁତ୍ରେ ସକଳେ,

ଛନ୍ଦାଛନ୍ଦି ହୋଇ ସୁଶିକ୍ଷା ବଳେ, ହେ ଭ୍ରାତୃଗଣ

ଲାଗ କାର୍ଯ୍ୟରେ କୁଶଳେ ହେ ଭ୍ରାତୃଗଣ ।୨୩।

ମନେ ଭାବି ଅନୁକ୍ଷଣ,

ଭୂତ ବଂଶଧରା ପାରିଆ ପଣ, ହେ ଭ୍ରାତୃଗଣ

କର ତା’ ଅନୁକରଣ, ହେ ଭ୍ରାତୃଗଣ ।୨୪।

ଥରେ ସ୍ମରି ପୂର୍ବ ଯଶ,

କାର୍ଯ୍ୟକ୍ଷେତ୍ର ସର୍ବେ ଏକତ୍ରେ ପଶ, ହେ ଭ୍ରାତୃଗଣ

ନୋହିଣ ନୈରାଶ୍ୟ ବଶ ହେ ଭ୍ରାତୃଗଣ ।୨୫।

ଦେଶର କଲେ ସୁକାର୍ଯ୍ୟ,

ବୋଲାଇବ ଦିନେ ପ୍ରକୃତ ଆର୍ଯ୍ୟ, ହେ ଭ୍ରାତୃଗଣ

ହେବ ଦୁଃଖ ପରିହାର୍ଯ୍ୟ, ହେ ଭ୍ରାତୃଗଣ ।୨୬।

ନିୟମ କରିଛି ବିଧି,

ସାଧନା ବଳରେ ମିଳାଇ ସିଦ୍ଧି, ହେ ଭ୍ରାତୃଗଣ

ଆଚର ସେ ମହାବିଧି ହେ ଭ୍ରାତୃଗଣ ।୨୭।

ବଡ଼ ସାନ ଅଭିମାନ,

ବହି ବୃଥା ନୁହଁ କେ ହୀନମାନ, ହେ ଭ୍ରାତୃଗଣ

ହରାଇ ପୂର୍ବ ସମ୍ମାନ ହେ ଭ୍ରାତୃଗଣ ।୨୮।

ବାକ୍ୟରେ କହୁଛ ଯାହା

କାର୍ଯ୍ୟେ ପରିଣତ କଲେ ତାହା, ହେ ଭ୍ରାତୃଗଣ

ଫିଟିବ ଉନ୍ନତି ରାହା ହେ ଭ୍ରାତୃଗଣ ।୨୯।

କାର୍ଯ୍ୟକ୍ଷେତ୍ରେ କଦାଚନ,

ନ କରି କଳହ-ଜୀବ ବପନ, ହେ ଭ୍ରାତୃଗଣ

କର୍ତ୍ତବ୍ୟ କର ପାଳନ ହେ ଭ୍ରାତୃଗଣ ।୩୦।

କଳହ-ଅନଳ ଜାଳି,

ଦ୍ଵେଷ-ଘୃତ ତହିଁ ନ ଦିଅ ଢାଳି, ହେ ଭ୍ରାତୃଗଣ

ଦର୍ଶକ ମାରିବେ ତାଳି ହେ, ଭ୍ରାତୃଗଣ ।୩୧।

କାର୍ଯ୍ୟରେ ସର୍ବେ ସମାନ,

କେହି ନୁହେଁ ବଡ଼ କେ ନୁହେଁ ସାନ, ହେ ଭ୍ରାତୃଗଣ

ନ ରଖ ସେ ଅଭିମାନ ହେ ଭ୍ରାତୃଗଣ ।୩୨।

ରଖ ମାତୃଭାଷା ଟେକ,

ମନଯୋଗ ସର୍ବେ ହୋଇଣ ଏକ, ହେ ଭ୍ରାତୃଗଣ

ଶିକ୍ଷିତ ହୋଇ ଅନେକ ହେ ଭ୍ରାତୃଗଣ ।୩୩।

ବ୍ରତୀ ହୁଅ କର୍ମ ଯୋଗେ,

ଶଯ୍ୟାଗତ ନୁହେ ଆଳସ୍ୟ ରୋଗେ, ହେ ଭ୍ରାତୃଗଣ

ନ ଭୁଲି କ୍ଷଣିକ ଭୋଗେ ହେ ଭ୍ରାତୃଗଣ ।୩୪।

ଅଟେ ତା ଜନମ ଧିକ,

ଯେ ନ ମଣେ ସ୍ଵାଭାଷାକୁ ଅଧିକ, ହେ ଭ୍ରାତୃଗଣ

ନାହିଁ ତା ଜାତିର ଠିକ ହେ ଭ୍ରାତୃଗଣ ।୩୫।

ଦେଶ କଥା ଯାର ମନେ,

ସ୍ମରଣ ନୁହଇ କେବେହେଁ କ୍ଷଣେ, ହେ ଭ୍ରାତୃଗଣ

ତାକୁ କେ ମାନବେ ଗଣେ ହେ ଭ୍ରାତୃଗଣ ।୩୬।

ବିଳାସ-ଜମ୍ବାଳେ ବୁଡ଼ି,

ଉଡ଼ାଇ ନ ଦିଅ ଘର କଉଡ଼ି, ହେ ଭ୍ରାତୃଗଣ

ଆତ୍ମୋନ୍ନୋତି ପଥ ହୁଡ଼ି ହେ ଭ୍ରାତୃଗଣ ।୩୭।

ନିଜ ଜାତି ନିଜ ଭାଷା,

ଅଣହେଳା ଆଉ କଲେକି ଆଶା, ହେ ଭ୍ରାତୃଗଣ

ମେଣ୍ଟିବ ନାହିଁ ପିପାସା ହେ ଭ୍ରାତୃଗଣ ।୩୮।

ମୁହଁ ଅଟେ ଏକା ବଡ,

ବୋଲି ଗର୍ବ-ଗର୍ତ୍ତେ ଆଉ ନ ପଡ଼, ହେ ଭ୍ରାତୃଗଣ

ସେ କୁଭାବ ମନ ତଡ଼ ହେ ଭ୍ରାତୃଗଣ ।୩୯।

ତୁମ୍ଭ ପରି ପଣ ପଣ,

ଅଛନ୍ତି ରାଜାଦି ଶିକ୍ଷିତଗଣ, ହେ ଭ୍ରାତୃଗଣ

ଛାଡ଼ ବଡ଼ାଣିଆପଣ ହେ ଭ୍ରାତୃଗଣ ।୪୦।

ଦାସତ୍ୱ ସାଧଇ କ୍ଷତି,

ଅଳସୁଆଙ୍କ ସେ ଅଟେ ସମ୍ପତ୍ତି, ସେ ଭ୍ରାତୃଗଣ

ତହିଁରେ ନୁହେଁ ଉନ୍ନତି ହେ ଭ୍ରାତୃଗଣ ।୪୧।

ହେଲେହେଁ ଯେତେ ନିକୃଷ୍ଟ,

ସ୍ଵକୀୟ ଭାଷାକୁ ମଣ ଉତ୍କୃଷ୍ଟ, ହେ ଭ୍ରାତୃଗଣ

ଅନ୍ୟରେ ନୁହ ଆକୃଷ୍ଟ ହେ ଭ୍ରାତୃଗଣ ।୪୨।

ସମସ୍ତ ଗଲେହେଁ ଯାଉ,

ନ ମିଳୁ ପଛକେ ମାଣ୍ଡିଆ ଯାଉ, ହେ ଭ୍ରାତୃଗଣ

ଜାତୀୟ ଜୀବନ ଆଉ ହେ ଭ୍ରାତୃଗଣ ।୪୩।

ବାହ୍ୟାଡ଼ମ୍ବରେ ସମସ୍ତ,

ସମ୍ପତ୍ତି ହରାଇ ହୋଇନ ବ୍ୟସ୍ତ, ହେ ଭ୍ରାତୃଗଣ

ନୁହ ବୃଥା ଅପଦସ୍ଥ ହେ ଭ୍ରାତୃଗଣ ।୪୪।

ଛାଡ଼ ବଡ଼ ସାନ ଭାବ,

ସମସ୍ତଙ୍କୁ ଏକ ସମାନ ଭାବ, ହେ ଭ୍ରାତୃଗଣ

ତା ସିନା ସାମ୍ୟ ସ୍ୱଭାବ ହେ ଭ୍ରାତୃଗଣ ।୪୫।

ଦେଇ ମନ ପ୍ରାଣ ଧନ,

ନ କାଲେ କଠୋର ବ୍ରତ ପାଳନ, ହେ ଭ୍ରାତୃଗଣ

ହେବ କି କାର୍ଯ୍ୟ ସାଧନ ହେ ଭ୍ରାତୃଗଣ ।୪୬।

ତେଜିଣ ଦୌର୍ବଲ୍ୟ ଗୁଣ,

ମହତ ଗୁଣରେ ହୁଅ ନିପୁଣ ହେ ଭ୍ରାତୃଗଣ

ଶୁଝ ମାତୃଭୂମି ଋଣ ହେ ଭ୍ରାତୃଗଣ ।୪୭।

ମାତୃଭୂମି ସେବା କଲେ,

ଲଭିବ ସ୍ଵର୍ଗୀୟ ସୁଖ ଭୂତଳେ, ହେ ଭ୍ରାତୃଗଣ

କର୍ମେ ସିନା ସବୁ ଫଳେ ହେ ଭ୍ରାତୃଗଣ ।୪୮।

ସ୍ୱଭାଷା ଉନ୍ନତି ତନ୍ତ୍ର,

ସିଦ୍ଧି ସାଧନାର ଅବ୍ୟର୍ଥ ଯନ୍ତ୍ର, ହେ ଭ୍ରାତୃଗଣ

ଦେଶ ସଞ୍ଜିବନୀ ମନ୍ତ୍ର ହେ ଭ୍ରାତୃଗଣ ।୪୯।

ଭାଷା ଅଟେ କର୍ଣ୍ଣଧାର,

ଜଡ଼ତା-ସମୁଦ୍ର କରଣେ ପର, ହେ ଭ୍ରାତୃଗଣ

ସମ୍ମାନ ରଖ ତାହାର ହେ ଭ୍ରାତୃଗଣ ।୫୦।

ଅଳିକ ସଂସାରେ ଭାଇ,

ଚିର ହୋଇ କିଛି ରହିବ ନାହିଁ, ହେ ଭ୍ରାତୃଗଣ

ଲାଗ ପର ହିତ ପାଇଁ ହେ ଭ୍ରାତୃଗଣ ।୫୧।

ଫିଟାଇ ମାୟା ବନ୍ଧନ,

ବୋଳି ହୁଅ ପରହିତ-ଚନ୍ଦନ, ହେ ଭ୍ରାତୃଗଣ

ବୋଲାଅ ଯୋଗ୍ୟ ନନ୍ଦନ ହେ ଭ୍ରାତୃଗଣ ।୫୨।

ଢାଳି ପ୍ରାଣ ମନ ଧନ,

ସ୍ଵଦେଶ ସ୍ଵଭାବ ହିତେ ବହନ, ହେ ଭ୍ରାତୃଗଣ

କୃତାର୍ଥ କର ଜୀବନ ହେ ଭ୍ରାତୃଗଣ ।୫୩।

ବସିଣ ଏକତା-ନାବେ,

ସାମ୍ୟ ମୈତ୍ରୀ-କାତେ ଚଳାଅ ଭାବେ, ହେ ଭ୍ରାତୃଗଣ

ଇଚ୍ଛା ଥିଲେ ପାର ଲାଭେ ହେ ଭ୍ରାତୃଗଣ ।୫୪।

ମାତୃ ପୂଜା ମହାଧର୍ମ,

ଭାତୃ ସେବା ଅଟେ ଉତ୍କୃଷ୍ଟ କର୍ମ, ହେ ଭ୍ରାତୃଗଣ

ଆଚର ବୁଝି ସେ ମର୍ମ ହେ ଭ୍ରାତୃଗଣ ।୫୫।

ଧାରି ମନେ ନବ ଆଶା,

ଶୋଧିତ ମାର୍ଜିତ କର ସ୍ଵଭାଷା, ହେ ଭ୍ରାତୃଗଣ

ନ ରଖମନେ ହତାଶା ହେ ଭ୍ରାତୃଗଣ ।୫୬।

ମାତାର କାର୍ଯ୍ୟରେ ଭାଇ,

ଧର୍ମ ଧର୍ମ ଭେଦ ବାରିବ ନାହିଁ, ହେ ଭ୍ରାତୃଗଣ

ଦ୍ଵେଷ-ମଦେ ହୋଇ ବାଇ ହେ ଭ୍ରାତୃଗଣ ।୫୭।

ସଂଯତ କରିଣ ମନ,

ଚରିତ୍ରକୁ କର ଦୃଢ଼େ ଗଠନ, ହେ ଭ୍ରାତୃଗଣ

ହେବ ସବୁ ଉପାର୍ଜନ ହେ ଭ୍ରାତୃଗଣ ।୫୮।

ଚରିତ୍ର ଲଭିଲେ ନାଶ,

ମିଳିବ ନାହିଁ ଟି ଅଶନ ବାସ, ହେ ଭ୍ରାତୃଗଣ

ମନୁଷ୍ୟକୁ ହେବ ହ୍ରାସ ହେ ଭ୍ରାତୃଗଣ ।୫୯।

କର ଦେଶ ପାଇଁ କାମ,

ଛାଡ଼ି ଯିବାବେଳେ ଏ ମର୍ତ୍ତ୍ୟ ଧାମ, ହେ ଭ୍ରାତୃଗଣ

ରହିବ ଅମର ନାମ ହେ ଭ୍ରାତୃଗଣ ।୬୦।

ଆସିଛି ସର୍ବେ ଯେସନ,

ଖାଲି ଯିବ ଚାଲି ହାତେ ତେସନ, ହେ ଭ୍ରାତୃଗଣ

ନ କଲେ କର୍ମ ସାଧନ ହେ ଭ୍ରାତୃଗଣ ।୬୧।

ଆହା ଉତ୍କଳ ଜନନୀ,

ନେତୃ ମୁଞ୍ଚେ ଅଶ୍ରୁ ଦିବା ରଜନୀ, ହେ ଭ୍ରାତୃଗଣ

କରିଛି ଶଯ୍ୟା ଅବନୀ ହେ ଭ୍ରାତୃଗଣ ।୬୨।

ନ ବୁଝିଲ ମାତା ଦୁଃଖ,

ମାତିଅଛି ଘେନି ଆପଣା ସୁଖ ହେ ଭ୍ରାତୃଗଣ

କାଳେ ହେବଟି ବିମୁଖ ହେ ଭ୍ରାତୃଗଣ ।୬୩।

ଭାବି ଭାବି ପୂର୍ବ କଥା,

ଜନନୀ ନିରତେ ପାଉଛି ବ୍ୟଥା, ହେ ଭ୍ରାତୃଗଣ

ଲାଜେ ନ ଟେକଇ ମଥା ହେ ଭ୍ରାତୃଗଣ ।୬୪।

କାହିଁ ତା ସେ ସୁଖ ଦିନ,

କାଳ ପୋତେ ହୋଇଅଛି ବିଲୀନ, ହେ ଭ୍ରାତୃଗଣ

ହେଳା ସବୁଠାରୁ ହୀନ ହେ ଭ୍ରାତୃଗଣ ।୬୫।

ଭୋଗି ସେ ଅସହ୍ୟ ଦଣ୍ଡ,

ପଡ଼ିଛି ତ୍ରିଠାଇଁ ହୋଇ ତ୍ରିଖଣ୍ଡ, ହେ ଭ୍ରାତୃଗଣ

ସଦା ହୁଏ ଲଣ୍ଡଭଣ୍ଡ ହେଭ୍ରାତୃଗଣ ।୬୬।

ହୋଇ ଭଞ୍ଜ-କଞ୍ଜ ହୀନ,

ଦିଶଇ ସାହିତ୍ୟ-ତଡ଼ାଗ ଶୀର୍ଣ୍ଣ, ହେ ଭ୍ରାତୃଗଣ

ନ ଖେଳେ ଚାତୁରୀ ମୀନ ହେ ଭ୍ରାତୃଗଣ ।୬୭।

କୃଷ୍ଣ ସିଂହକୁ ହରାଇ,

କାନ୍ଦଇ ଜନନୀ ମନେ ପକାଇ, ହେ ଭ୍ରାତୃଗଣ

ନୟନୁ ଅଶ୍ରୁ ବୁହାଇ ହେ ଭ୍ରାତୃଗଣ ।୬୮।

ସାଧୁ ଦୀନବନ୍ଧୁ ରାଜ,

କାହିଁଗଲା ଗଢ଼ି ସାହିତ୍ୟ ସାଜ, ହେ ଭ୍ରାତୃଗଣ

ଛାଡ଼ିଣ କବି ସମାଜ ହେ ଭ୍ରାତୃଗଣ ।୬୯।

ବଳଭଦ୍ର କବି ରବି,

ଲେଖାମଧ୍ୟେ ଦେଖି ଅପୂର୍ବ ଛବି, ହେ ଭ୍ରାତୃଗଣ

ଯାଉଥିଲା ଦ୍ରବି ପବି ହେ ଭ୍ରାତୃଗଣ ।୭୦।

ବିଶ୍ଵକର୍ମା ଯଦୁମଣି,

ବସାଇଣ ଥିଲା କାବ୍ୟ-ବିପଣି, ହେ ଭ୍ରାତୃଗଣ

ଖୋଳି ସେ କବିତା-ଖଣି, ଭ୍ରାତୃଗଣ ।୭୧।

ବଳରାମ କୃଷ୍ଣ ଦାସ,

କରିବାରୁ ଭକ୍ତିଗ୍ରନ୍ଥ ବିନାସ, ହେ ଭ୍ରାତୃଗଣ

କିଶୋରେ ସାହିତ୍ୟାବାସ ହେ ଭ୍ରାତୃଗଣ ।୭୨।

ଶ୍ରୀ ଅଭିମନ୍ୟୁସାମନ୍ତ,

କବିତା ଧନରେ ଥିଲା ଶ୍ରୀବନ୍ତ, ହେ ଭ୍ରାତୃଗଣ

ଯାଇଛି ଲେଖି ସୁଗ୍ରନ୍ଥ ହେ ଭ୍ରାତୃଗଣ ।୭୩।

ସୁଢ଼ଳଦେବ ସମାନ,

ବଢ଼ାଇଛି କିଏ ମାତା ସାମ୍ମାନ, ଭ୍ରାତୃଗଣ

ରଖି ସଦା ଅଭିମାନ ହେ ଭ୍ରାତୃଗଣ ।୭୪।

ଗୌରଚନ୍ଦ୍ର ଗଜପତି,

ଥିଲା ଜନନୀର ନେତ୍ର ସମ୍ପତ୍ତି, ହେ ଭ୍ରାତୃଗଣ

ଯାଇଛି ରଖି କୀରତି ହେ ଭ୍ରାତୃଗଣ ।୭୫।

ବଞ୍ଚିଥିଲେ ପଦ୍ମନାଭ,

ବୁଡ଼ନ୍ତାକି ଦେଶ ଉନ୍ନତି-ନାବ, ହେ ଭ୍ରାତୃଗଣ

ହରାଇ ପୂର୍ବ ପ୍ରଭାବ ହେ ଭ୍ରାତୃଗଣ ।୭୬।

ସାମନ୍ତ ଚନ୍ଦ୍ରଶେଖର,

ଜ୍ୟୋତିଷମଣ୍ଡଳେ ଦୀପ୍ତ ଭାସ୍କର, ହେ ଭ୍ରାତୃଗଣ

ଅସ୍ତ ସେ ମହାତ୍ମାବର ହେ ଭ୍ରାତୃଗଣ ।୭୭।

ଯିବା ଦିନୁ ହରିହର,

ମର୍ଦ୍ଦରାଜ ଖଲ୍ଲିକୋଟ ନୃବର, ହେ ଭ୍ରାତୃଗଣ

ଗଲା ଶୋଭା ଗଞ୍ଜାମର ହେ ଭ୍ରାତୃଗଣ ।୭୮।

ବଇକୁଣ୍ଠନାଥ ଦେବ,

ପରି ଦେଶ କାର୍ଯ୍ୟେ ଧନ କେ ଦେବ ହେ ଭ୍ରାତୃଗଣ

“ନବସମ୍ବାଦ” କି ହେବ ହେ ଭ୍ରାତୃଗଣ ।୭୯।

ସାଧୁ ନରସିଂହ ଦାସ,

ଦେଇଥିଲା ଦେଶ ସେବାରେ ଝାସ, ହେ ଭ୍ରାତୃଗଣ

ଗଲା ସେ କରି ହତାସ ହେ ଭ୍ରାତୃଗଣ ।୮୦।

ଆହା ରାମଚନ୍ଦ୍ର ଭଞ୍ଜ,

ଗଲା ଦିନୁ ମାତା ହୋଇଲା ଖଞ୍ଜ, ହେ ଭ୍ରାତୃଗଣ

ମ୍ଳାନ ଦିଶେ ମୁଖ-କୁଞ୍ଜ ହେ ଭ୍ରାତୃଗଣ ।୮୧।

ଥାଇ ଥାଇ ରାଧାନାଥ,

ଗଲା ଅସମୟେ କରି ଅନାଥ, ହେ ଭ୍ରାତୃଗଣ

ସାହିତ୍ୟ ଦକ୍ଷିଣ ହାତ ହେ ଭ୍ରାତୃଗଣ ।୮୨।

ଉତ୍କଳ ଭାବ କାନନ,

ମଧ୍ୟୁ କେ ତୋଳିବ ଭକ୍ତି ସୁମନ, ହେ ଭ୍ରାତୃଗଣ

ନାହିଁତ ମଧୁସୂଦନ ହେ ଭ୍ରାତୃଗଣ ।୮୩।

ଅନେକ ଯୋଗ୍ୟ ନନ୍ଦନ,

ହରାଇ ଜନନୀ କରେ କ୍ରନ୍ଦନ, ହେ ଭ୍ରାତୃଗଣ

କେ କରିବା ପ୍ରବୋଧନ ହେ ଭ୍ରାତୃଗଣ ।୮୪।

କେତେକ ଯୋଗ୍ୟ ନନ୍ଦନ,

କରିବାରୁ ତାର ଅଙ୍କ ମଣ୍ଡନ, ହେ ଭ୍ରାତୃଗଣ

ଲଭେ ଏବ ପ୍ରବୋଧନ ହେ ଭ୍ରାତୃଗଣ ।୮୫।

ଶ୍ରୀ ରାଜେନ୍ଦ୍ର ନାରାୟଣ,

ପାଶ୍ଚାତ୍ୟ ସୁଜ୍ଞାନ କରି ଅର୍ଜନ, ହେ ଭ୍ରାତୃଗଣ

ଲଗାଇଛି କାର୍ଯ୍ୟେ ମନ ହେ ଭ୍ରାତୃଗଣ ।୮୬।

ବାମଣ୍ଡା ସଚ୍ଚିଦାନନ୍ଦ,

କରିବାକୁ ମାତା ମନ ଆନନ୍ଦ, ହେ ଭ୍ରାତୃଗଣ

ଲେଖେ ପଦ୍ୟାଦି ପ୍ରବନ୍ଧ ହେ ଭ୍ରାତୃଗଣ ।୮୭।

ତାଳଚେର ନରସାଇଁ,

ଶ୍ରୀ କିଶୋରଚନ୍ଦ୍ର ସ୍ୱଭାଷା ପାଇଁ, ହେ ଭ୍ରାତୃଗଣ

ବାଣ୍ଟେ ପତ୍ରିକା ଛପାଇ ହେ ଭ୍ରାତୃଗଣ ।୮୮।

ଅଷ୍ଟଦୁର୍ଗ ନରନାହା,

ଦେଖାଏ ସଂସ୍କୃତ ସାହିତ୍ୟ-ରାହା, ହେ ଭ୍ରାତୃଗଣ

ତୋଳି ଉର୍ଦ୍ଧ୍ୱେ ବେନି ବାହା ହେ ଭ୍ରାତୃଗଣ ।୮୯।

ଗଜପତି କୃପାମୟ,

ଜନନୀର ଅଟେ ଯୋଗ୍ୟ ତନୟ, ହେ ଭ୍ରାତୃଗଣ

ଶିକ୍ଷାର୍ଥେ କରଇ ବ୍ୟୟ ହେ ଭ୍ରାତୃଗଣ ।୯୦।

ଧରାକୋଟ ନରରାଣ,

ରାଜ ଦ୍ଵାରେ କରେ ଦୁଃଖ ବଖାଣ, ହେ ଭ୍ରାତୃଗଣ

ଢାଳ ମନ ଧନ ପ୍ରାଣ ହେ ଭ୍ରାତୃଗଣ ।୯୧।

ବୟସେ ହେଲେହେଁ ସାନ,

କୃଷ୍ଣଚନ୍ଦ୍ର-ଗଜପତି ମହାନ , ହେ ଭ୍ରାତୃଗଣ

ବାଢ଼ିଛି ବିପୁଳ ଦାନ ହେ ଭ୍ରାତୃଗଣ ।୯୨।

ରାଜେନ୍ଦ୍ର ରାଧାମୋହନ,

ସାହିତ୍ୟ ସେବାରେ ଅର୍ପିଛି ମନ, ହେ ଭ୍ରାତୃଗଣ

ଉପାର୍ଜି ଜ୍ଞାନ ରତନ ହେ ଭ୍ରାତୃଗଣ ।୯୩।

ମଞ୍ଜୁଷା ନବୀନ ରାଜ,

ଶ୍ରୀନିବାସ ଦେବ କରେ ସୁକାର୍ଯ୍ୟ, ହେ ଭ୍ରାତୃଗଣ

ଚିହ୍ନି ସ୍ଵକୀୟ ସମାଜ ହେ ଭ୍ରାତୃଗଣ ।୯୪।

ଟେକଲି ରାଜନନ୍ଦନ,

ଲକ୍ଷ୍ମୀନାରାୟଣ କରେ ଯତନ, ହେ ଭ୍ରାତୃଗଣ

ତୋଷିବାକୁ ମାତା ମନ ହେ ଭ୍ରାତୃଗଣ ।୯୫।

ଶ୍ରୀ ଚକ୍ରପାଣି ସାମନ୍ତ,

ଦେଶ ହିତ ଚିନ୍ତା କରେ ସତତ, ହେ ଭ୍ରାତୃଗଣ

ଦେଶ କାର୍ଯ୍ୟେ ହୋଇ ରତ, ଭ୍ରାତୃଗଣ ।୯୬।

ସି, ଆଇ, ଇ ମଧୁଦାସ,

କରିଦେବ ମାତା କ୍ଲେଶ ବିନାଶ, ହେ ଭ୍ରାତୃଗଣ

ଲାଗିଛି ନୋହି ଉଦାସ ହେ ଭ୍ରାତୃଗଣ ।୯୭।

ଅନରେବଲ ସୁଦାମ,

କରେ ଦେଶପାଇଁ ବହୁତ କାମ, ହେ ଭ୍ରାତୃଗଣ

ନ ଭଜି କ୍ଷଣେ ବିଶ୍ରାମ ହେ ଭ୍ରାତୃଗଣ ।୯୮।

ଶୁଝୁଛି ଋଣ ମାତାର,

ଗଉରୀଶଙ୍କର କରି ବିଚାର, ହେ ଭ୍ରାତୃଗଣ

କରେ “ଦୀପିକା” ପ୍ରଚାର ହେ ଭ୍ରାତୃଗଣ ।୯୯।

ବ୍ୟାସ ଫକୀର ମୋହନ,

ଭାରତୀ ଆଶ୍ରମେ କରି ସଦନ, ହେ ଭ୍ରାତୃଗଣ

କରୁଛି ଯୋଗ ସାଧନ, ହେ ଭ୍ରାତୃଗଣ ।୧୦୦।

ସାହିତ୍ୟର କଳେବରୁ,

ବୃଦ୍ଧି କରୁଅଛି ରାମଶଙ୍କର, ହେ ଭ୍ରାତୃଗଣ

ହୋଇ ସେ ନିଃସ୍ଵାର୍ଥପର ହେ ଭ୍ରାତୃଗଣ ।୧୦୧।

କି ମଧୁର ମଧୁ ନାମ,

ସାହିତ୍ୟ ସମାଜେ କରୁଛି କାମ, ହେ ଭ୍ରାତୃଗଣ

ଆଚରେ ବ୍ରତ ନିଷ୍କାମ ହେ ଭ୍ରାତୃଗଣ ।୧୦୨।

ସାଧୁ ଶ୍ରୀ ଚନ୍ଦ୍ରମୋହନ,

ମଣ୍ଡିଛି ଉତ୍କଳ ଶିକ୍ଷା ଗଣନ, ହେ ଭ୍ରାତୃଗଣ

ମନୁଷ୍ୟ କରେ ଗଠନ ହେ ଭ୍ରାତୃଗଣ ।୧୦୩।

ଶ୍ରୀ ବ୍ରଜସୁନ୍ଦର ଦାସ

ସାଟୋପେ “ମୁକୁର” କରି ପ୍ରକାଶ ହେ ଭ୍ରାତୃଗଣ

ମାତାକୁ ଅର୍ପେ ଆଶ୍ଵାସ ହେ ଭ୍ରାତୃଗଣ ।୧୦୪।

ନୀଳମଣି ବିଦ୍ୟାରତ୍ନ

ଅଟଇ ସାହିତ୍ୟ ରଙ୍କଣି ରତ୍ନ, ହେ ଭ୍ରାତୃଗଣ

ଦେଶ କାର୍ଯ୍ୟେ କରେ ଯତ୍ନ ହେ ଭ୍ରାତୃଗଣ ।୧୦୫।

ଉତ୍କଳ ସାହିତ୍ୟ ଲାଗି

ବିଶ୍ଵନାଥ କର କାର୍ଯ୍ୟରେ ଲାଗି ହେ ଭ୍ରାତୃଗଣ

କରେ ଯତ୍ନ ଜାଗି ଜାଗି ହେ ଭ୍ରାତୃଗଣ ।୧୦୬।

ମହାମହୋପାଧ୍ୟାୟ,

ସଦାଶିବ କରି ଅଧ୍ୟବସାୟ, ହେ ଭ୍ରାତୃଗଣ

ସାଧେ ମଙ୍ଗଳ ଉପାୟ ହେ ଭ୍ରାତୃଗଣ ।୧୦୭।

ବକ୍ତା ଗୋପବନ୍ଧୁ ଦାସ,

କରେ ଦେଶଲାଗି ବ୍ରତୋପବାସ, ହେ ଭ୍ରାତୃଗଣ

ଭକ୍ତିରେ ରଖି ବିଶ୍ଵାସ ହେ ଭ୍ରାତୃଗଣ ।୧୦୮।

ଗୋପାଳଚନ୍ଦ୍ର ଓକିଲ,

ଗଲୁ ଲେଖାଭାବ କେ ନ ଚିହ୍ନିଲେ, ହେ ଭ୍ରାତୃଗଣ

ଥରେ ହେଲେ ନ ଭାବିଲ ହେ ଭ୍ରାତୃଗଣ ।୧୦୯।

ବିଶ୍ୱନାଥ ମିଶ୍ର ଜଣେ,

ମାତାର ସାହସୀ ସନ୍ତାନ ପଣେ, ହେ ଭ୍ରାତୃଗଣ

ସ୍ଵଦେଶ କୋଷ୍ଠୀ ସେ ଗଣେ ହେ ଭ୍ରାତୃଗଣ ।୧୧୦।

ଅଟେ ହରିହର ପଣ୍ଡା,

ଜନନୀ ପୂଜାକୁ ପ୍ରକୃତ ପଣ୍ଡା, ହେ ଭ୍ରାତୃଗଣ

ତା’ ସମ ଲୋଡ଼ା ଦ୍ଵିଗଣ୍ଡା ହେ ଭ୍ରାତୃଗଣ ।୧୧୧।

ଗୋରାଚାନ୍ଦ ମାନଧାତା,

ସୁସନ୍ତାନେ ଦେଇଅଛି ବିଧାତା, ହେ ଭ୍ରାତୃଗଣ

ଦିନେ ସୁଖୀ ହେବ ମାତା ହେ ଭ୍ରାତୃଗଣ ।୧୧୨।

ସମାଜ ସଂସ୍କାର ଲାଗି,

ଅଚ୍ଛିତ ଶ୍ରୀବତ୍ସ ପଣ୍ଡାଟି ଜାଗି, ହେ ଭ୍ରାତୃଗଣ

ହୋଇ ଅତି ଅନୁରାଗୀ ହେ ଭ୍ରାତୃଗଣ ।୧୧୩।

ତାରିଣୀ ଚରଣ ରଥ,

ପୂର୍ଣ୍ଣ କରିବାକୁ ସ୍ୱ ମନୋରଥ, ହେ ଭ୍ରାତୃଗଣ

ଖୋଜେ ଦେଶୋନ୍ନତି ପଥ ହେ ଭ୍ରାତୃଗଣ ।୧୧୪।

ଶ୍ରୀ ମଧୁସୂଦନ ପାଣି–

ଗ୍ରାହୀ ଦେଶ କାର୍ଯ୍ୟ କରୁଛି ଜାଣି, ହେ ଭ୍ରାତୃଗଣ

ପାଳି ଜନନୀର ବାଣୀ ହେ ଭ୍ରାତୃଗଣ ।୧୧୫।

ଗଣେଶ ମହାପାତର,

ଜପ କରେ ଏକତାର ମନ୍ତର, ହେ ଭ୍ରାତୃଗଣ

ରଖିବ ଟେକ ଦେଶର ହେ ଭ୍ରାତୃଗଣ ।୧୧୬।

ସଂସ୍କୃତ ପଣ୍ଡିତ ପଣ,

ରଖୀ ଗଦାଧର ବିଦ୍ୟାଭୂଷଣ, ହେ ଭ୍ରାତୃଗଣ

ଗଢ଼େ ସାହିତ୍ୟ ଭୂଷଣ ହେ ଭ୍ରାତୃଗଣ ।୧୧୭।

ଦ୍ଵିଜ ଗୋପୀନାଥ ନନ୍ଦ,

ମାତୃଭାଷାକୁ ସେ କରେ ପସନ୍ଦ, ହେ ଭ୍ରାତୃଗଣ

ହେବାକୁ ମାତା ଆନନ୍ଦ ହେ ଭ୍ରାତୃଗଣ ।୧୧୮।

ପାରଳାର ବକ୍ତାପଣେ,

ଅପର୍ଣ୍ଣା ପଣ୍ଡାଟି ଅଛଇ ଜଣେ, ହେ ଭ୍ରାତୃଗଣ

ଦେଶ କାର୍ଯ୍ୟ ସୁଖ ମଣେ ହେ ଭ୍ରାତୃଗଣ ।୧୧୯।

ବିପ୍ର ଅପର୍ଣ୍ଣା ପରୀକ୍ଷା,

ନାଟକ ପ୍ରଚାରି ଦିଏ ସୁଶିକ୍ଷା, ହେ ଭ୍ରାତୃଗଣ

ସ୍ମରି ଆର୍ଯ୍ୟଙ୍କର ଦୀକ୍ଷା ହେ ଭ୍ରାତୃଗଣ ।୧୨୦।

ପାରଳା ନବଯୁବକ,

ନେତା ନିତ୍ୟାନନ୍ଦ ପଟ୍ଟନାୟକ, ହେ ଭ୍ରାତୃଗଣ

ଅଟେ ଉନ୍ନତି ଶିକ୍ଷକ ହେ ଭ୍ରାତୃଗଣ ।୧୨୧।

ପୂଜୁଛି ବାଣୀ ଚରଣ,

ବିପ୍ର ସଦାଶିବ ବିଦ୍ୟାଭୂଷଣ, ହେ ଭ୍ରାତୃଗଣ

ଅର୍ପିଣ ମନ-ସୁମନ ହେ ଭ୍ରାତୃଗଣ ।୧୨୨।

ପ୍ରବୀଣ ଶଶୀଭୂଷଣ,

କରୁଛି ସାହିତ୍ୟ କ୍ଷେତ୍ର କର୍ଷଣ, ହେ ଭ୍ରାତୃଗଣ

ମାତାର ଯୋଗ୍ୟ ନନ୍ଦନ ହେ ଭ୍ରାତୃଗଣ ।୧୨୩।

ଧନ୍ୟ ମୃତ୍ୟୁଞ୍ଜୟ ରଥ,

ଦେଖାଏ ସେ ପତ୍ନତତ୍ତ୍ଵର ପଥ, ହେ ଭ୍ରାତୃଗଣ

ସେ କାର୍ଯ୍ୟ ଅତିମହତ ହେ ଭ୍ରାତୃଗଣ ।୧୨୪।

ଦେବାନ ଶ୍ରୀ ଦାମୋଦର,

କାରଣ କୁଳର ସିତ ଭାସ୍କର, ହେ ଭ୍ରାତୃଗଣ

ଲେଖା ତା’ ବଡ଼ ସୁନ୍ଦର ହେ ଭ୍ରାତୃଗଣ ।୧୨୫।

ପଣ୍ଡିତ ରାମତାରକ,

“ନବସମ୍ବାଦ’ ର ଦକ୍ଷ ଚାଳକ, ହେ ଭ୍ରାତୃଗଣ

କର୍ତ୍ତବ୍ୟ ପାଳେ କାଳକ ହେ ଭ୍ରାତୃଗଣ ।୧୨୬।

“ବାହିକା” ର ପ୍ରିୟନାଥ,

ସ୍ଵଦେଶ ସେବାରେ ଅର୍ପିଛି ହାତ, ହେ ଭ୍ରାତୃଗଣ

ଜୀବନ ତାହାର ସାର୍ଥ ହେ ଭ୍ରାତୃଗଣ ।୧୨୭।

ସାହିତ୍ୟରେ ଧୁରନ୍ଧର,

ବଳଭଦ୍ରଦେବ ବଡ଼ କୁମାର, ହେ ଭ୍ରାତୃଗଣ

ଅର୍ଜୁଛି ଯଶ ବିସ୍ତର ହେ ଭ୍ରାତୃଗଣ ।୧୨୮।

ଗଙ୍ଗାଧର ମେହେରର,

ଲେଖନୀ ଶକତି କି ମନୋହର, ହେ ଭ୍ରାତୃଗଣ

ଲେଖାରେ ନାହିଁ ତା’ ତର ହେ ଭ୍ରାତୃଗଣ ।୧୨୯।

ବାମଣ୍ଡା ଗଡ଼ନାୟକ,

ହିତୈଷିଣୀ ପତ୍ରିକାର ଚାଳକ, ହେ ଭ୍ରାତୃଗଣ

କରୁଛି ନାମ ସାର୍ଥକ ହେ ଭ୍ରାତୃଗଣ ।୧୩୦।

ସେବକର ସମ୍ପାଦକ,

ମିଶ୍ର ବ୍ରଜବନ୍ଧୁ ପଦ୍ୟ ଲେଖନ, ହେ ଭ୍ରାତୃଗଣ

ଅଟେ ସେ ଗୁଣଗ୍ରାହକ ହେ ଭ୍ରାତୃଗଣ ।୧୩୧।

କରେ ଦେଶ ଉପକାର,

ଭାଗୀରଥୀ ଶର୍ମା ପଦ୍ୟାଳାଙ୍କାର, ହେ ଭ୍ରାତୃଗଣ

କର “ବିନାସୀ” ପ୍ରଚାର ହେ ଭାତୃଗଣ ।୧୩୨।

ଅନ୍ନପୂର୍ଣ୍ଣା ସୁଲୋଚନା,

ପ୍ରକାଶୁ ଅଛନ୍ତି ସମବେଦନା, ହେ ଭ୍ରାତୃଗଣ

ମାତାକୁ ଦେଖି ବିମନା ହେ ଭ୍ରାତୃଗଣ ।୧୩୩।

ଲେଖକ ନନ୍ଦକିଶୋର–

ବଳ ଲେଖା ବଳ ନୁହେଁ ପାଶୋର, ହେ ଭ୍ରାତୃଗଣ

ସଦାଥାଉ ସେ କିଶୋର ହେ ଭ୍ରାତୃଗଣ ।୧୩୪।

ନୀଳକଣ୍ଠ, ଗୋଦାବରୀ

ଦେଶ ହିତ ବ୍ରତ ପାଳନ କରି, ହେ ଭ୍ରାତୃଗଣ

ରହିଛନ୍ତି ତ୍ୟାଗୀପରି ହେ ଭ୍ରାତୃଗଣ ।୧୩୫।

ଥାଉ ଚିନ୍ତାମଣି ବଞ୍ଚି,

ଧରିଣ ସାହିତ୍ୟ ଭଣ୍ଡାର କଞ୍ଚି, ହେ ଭ୍ରାତୃଗଣ

ଗ୍ରନ୍ଥ-ରତ୍ନ ଦେବ ସଞ୍ଚି ହେ ଭ୍ରାତୃଗଣ ।୧୩୬।

ଧିକ ଧିକ ମୋ ଜୀବନ,

ନ ସେବିଲି ଯାହା ମାତୃଚରଣ, ହେ ଭ୍ରାତୃଗଣ

ଧିକ ମୋର ଆଚରଣ ହେ ଭ୍ରାତୃଗଣ।୧୩୭ ।

ଜନନୀର କୁସନ୍ତାନ,

ବୋଲି ହେବ ମୋର ଚିର ଆଖ୍ୟାନ, ହେ ଭ୍ରାତୃଗଣ

ନାହିଁ ସମୀଚୀନ ଜ୍ଞାନ ହେ ଭ୍ରାତୃଗଣ ।୧୩୮।

ସ୍ଵଦେଶ ହିତ ସାଧନ,

ପାଇଁ ନାହିଁ ଉପାଦାନାଦି ଧନ, ହେ ଭ୍ରାତୃଗଣ

ଅସାର୍ଥ ହେଲା ଜୀବନ ହେ ଭ୍ରାତୃଗଣ ।୧୩୯ ।

ମାତା ନେତ୍ରୁଁ ଅଶ୍ରୁଜଳ,

ପୋଛିବାକୁ ମୋର ନାହିଁ ତ ବଳ, ହେ ଭ୍ରାତୃଗଣ

ମୋ ଜନ୍ମ ଅଟେ ବିଫଳ ହେ ଭ୍ରାତୃଗଣ ।୧୪୦।

କ୍ଷଣେ ଦେଶହିତ ପାଇଁ,

ଭାବିବାକୁ ମୋର ଶକତି ନାହିଁ, ହେ ଭ୍ରାତୃଗଣ

ଜନ୍ମଲି ମୁହିଁ କିପାଇଁ ହେ ଭ୍ରାତୃଗଣ ।୧୪୧।

ଜନମ ଭୂମିର ଋଣ,

ଶୁଝିବାକୁ କାହିଁ ମୋର ସୁଗୁଣ, ହେ ଭ୍ରାତୃଗଣ

ଅଟେ ମୁହିଁ ଅତି ନ୍ୟୁନ ହେ ଭ୍ରାତୃଗଣ ।୧୪୨।

ହୃଦୟାବେଗ ବଶତଃ,

ଲେଖିଦେଲି କେତେ କଥା ଏମନ୍ତ, ହେ ଭ୍ରାତୃଗଣ

ଘେନ ଯା ଅଟେ ସଙ୍ଗତ ହେ ଭ୍ରାତୃଗଣ ।୧୪୩।

ଅଟେ ମୁହିଁ ହୀନ ଅତି,

ଜନନୀ ସେବାରେ ନାହିଁ ତ ମତି, ହେ ଭ୍ରାତୃଗଣ

କେମନ୍ତେ ଲଭିବି ଗତି ହେ ଭ୍ରାତୃଗଣ ।୧୪୪।

ସୁଜ୍ଞାନ ପାଇବି କାହୁଁ,

ପୂଜିବାକୁ ମାତା ପାଦ କଠାଉ, ହେ ଭ୍ରାତୃଗଣ

ନ ଦିଶେ ଧୀ ରାହା ଆଉ ହେ ଭ୍ରାତୃଗଣ ।୧୪୫।

କି ଗୁଣେ ଜନନୀ ମନ,

ତୋଷି ବୋଲାଇବି ଯୋଗ୍ୟନନ୍ଦନ, ହେ ଭ୍ରାତୃଗଣ

ନାହିଁ କିଛି ବିଦ୍ୟା ଧନ ହେ ଭ୍ରାତୃଗଣ ।୧୪୬।

କବି ବୋଲାଇବା ପାଇଁ,

ଭାବି ମୁହିଁ ଏକା ପ୍ରକାଶି ନାହିଁ, ହେ ଭ୍ରାତୃଗଣ

ସେ ଶକ୍ତି ବା ମୋର କାହିଁ ହେ ଭ୍ରାତୃଗଣ ।୧୪୭।

କ୍ଷମାକର ଥିଲେ ଦୋଷ ।

ମନେ ଭ୍ରାତୃପ୍ରେମ ଭାବକୁ ପୋଷ, ହେ ଭ୍ରାତୃଗଣ

ବହି ପରମ ସନ୍ତୋଷ ହେ ଭ୍ରାତୃଗଣ ।୧୪୮।

Image